2
ସଦାପ୍ରଭୁଙ୍କର ଦିନ 
 1 ତୁମ୍ଭେମାନେ ସିୟୋନରେ ତୂରୀ ବଜାଅ 
ଓ ଆମ୍ଭ ପବିତ୍ର ପର୍ବତରେ ଘୋରନାଦ କର! 
ଦେଶ ନିବାସୀ ସମସ୍ତେ କମ୍ପମାନ ହେଉନ୍ତୁ; 
କାରଣ ସଦାପ୍ରଭୁଙ୍କର ଦିନ ଆସୁଅଛି, ସେ ଦିନ ନିକଟ। 
 2 ତାହା ତିମିର ଓ ଅନ୍ଧକାରମୟ ଦିନ, 
ତାହା ମେଘାଚ୍ଛନ୍ନ ଓ ନିବିଡ଼ ଅନ୍ଧକାରମୟ ଦିନ, 
ପର୍ବତଗଣର ଉପରେ ଅରୁଣ ତୁଲ୍ୟ ତାହା ବ୍ୟାପ୍ତ ହେଉଅଛି; 
ମହତୀ ଓ ବଳବତୀ ଏକ ଗୋଷ୍ଠୀ, 
ତାହାରି ସଦୃଶ ଗୋଷ୍ଠୀ କେବେ ହୋଇ ନାହିଁ, 
କିଅବା ସେମାନଙ୍କ ଉତ୍ତାରେ ଅନେକ ଅନେକ 
ପିଢ଼ିର ବର୍ଷ ପର୍ଯ୍ୟନ୍ତ ହେବ ନାହିଁ। 
 3 ସେମାନଙ୍କ ଆଗରେ ଅଗ୍ନି ଗ୍ରାସ କରୁଅଛି 
ଓ ସେମାନଙ୍କ ପଶ୍ଚାତରେ ଅଗ୍ନିଶିଖା ଦଗ୍ଧ କରୁଅଛି; 
ସେମାନଙ୍କ ଆଗରେ ଦେଶ ଏଦନ ଉଦ୍ୟାନ ତୁଲ୍ୟ 
ଓ ସେମାନଙ୍କ ପଶ୍ଚାତରେ ତାହା ଧ୍ୱଂସିତ ପ୍ରାନ୍ତର; 
ଆଉ, ସେମାନଙ୍କଠାରୁ ରକ୍ଷାପ୍ରାପ୍ତ କେହି ନାହିଁ। 
 4 ସେମାନଙ୍କର ଆକାର ଅଶ୍ୱଗଣର ଆକୃତି ତୁଲ୍ୟ 
ଓ ସେମାନେ ଅଶ୍ୱାରୋହୀଗଣର ତୁଲ୍ୟ ଦୌଡ଼ନ୍ତି। 
 5 ପର୍ବତଗଣର ଶୃଙ୍ଗରେ ରଥସମୂହର ଶବ୍ଦ ତୁଲ୍ୟ ସେମାନେ କୁଦନ୍ତି, 
ନଡ଼ାଗ୍ରାସକାରୀ ଅଗ୍ନିଶିଖାର ଶବ୍ଦ ତୁଲ୍ୟ, 
ସେମାନେ ଯୁଦ୍ଧାର୍ଥେ ଶ୍ରେଣୀବଦ୍ଧ ବଳବତୀ ଗୋଷ୍ଠୀ ତୁଲ୍ୟ। 
 6 ସେମାନଙ୍କ ସାକ୍ଷାତରେ ଗୋଷ୍ଠୀଗଣ ଯନ୍ତ୍ରଣାଯୁକ୍ତ; 
ସମସ୍ତଙ୍କର ମୁଖ ମଳିନ। 
 7 ସେମାନେ ବୀରଗଣ ତୁଲ୍ୟ ଦୌଡ଼ନ୍ତି; 
ସେମାନେ ଯୋଦ୍ଧାଗଣ ତୁଲ୍ୟ ପ୍ରାଚୀର ଚଢ଼ନ୍ତି; 
ସେମାନେ ପ୍ରତ୍ୟେକେ ଆପଣା ଆପଣା ପଥରେ ଅଗ୍ରସର ହୁଅନ୍ତି 
ଓ ସେମାନେ ଆପଣା ଆପଣା ଶ୍ରେଣୀ ଭଗ୍ନ କରନ୍ତି ନାହିଁ। 
 8 ଅବା ସେମାନଙ୍କର ଏକ ଜଣ ଆର ଜଣକୁ ଠେଲନ୍ତି ନାହିଁ; 
ସେମାନେ ପ୍ରତ୍ୟେକେ ଆପଣା ଆପଣା ପଥରେ ଅଗ୍ରସର ହୁଅନ୍ତି; 
ସେମାନେ ଅସ୍ତ୍ରଶସ୍ତ୍ର ମଧ୍ୟରେ ପେଲି ହୋଇ ପଶନ୍ତି 
ଓ ଆପଣା ଆପଣା ଯିବାର ପଥ ଛାଡ଼ନ୍ତି ନାହିଁ। 
 9 ସେମାନେ ନଗର ଉପରେ କୁଦନ୍ତି; 
ସେମାନେ ନଗରର ପ୍ରାଚୀର ଉପରେ ଦୌଡ଼ନ୍ତି; 
ସେମାନେ ଗୃହ ଉପରେ ଚଢ଼ନ୍ତି; 
ସେମାନେ ଚୋର ପରି ଝରକା ବାଟେ ପ୍ରବେଶ କରନ୍ତି। 
 10 ସେମାନଙ୍କ ସମ୍ମୁଖରେ ପୃଥିବୀ କମ୍ପିତ ହୁଏ; 
ଆକାଶମଣ୍ଡଳ ଥରଥର ହୁଏ; 
ସୂର୍ଯ୍ୟ ଓ ଚନ୍ଦ୍ର ଅନ୍ଧକାରମୟ ହୁଏ 
ଓ ନକ୍ଷତ୍ରଗଣ ଆପଣା ଆପଣା ତେଜ ରହିତ କରନ୍ତି। 
 11 ପୁଣି, ସଦାପ୍ରଭୁ ଆପଣା ସୈନ୍ୟସାମନ୍ତ ସମ୍ମୁଖରେ 
ଆପଣା ରବ ଉଚ୍ଚାରଣ କରନ୍ତି; 
କାରଣ ତାହାଙ୍କର ଛାଉଣି ଅତି ବଡ଼; 
କାରଣ ତାହାଙ୍କର ବାକ୍ୟ ଯେ ସାଧନ କରେ, ସେ ବଳବାନ। 
କାରଣ ସଦାପ୍ରଭୁଙ୍କର ଦିନ ମହତ୍ ଓ ଅତି ଭୟାନକ; 
ଆଉ କିଏ ତାହା ସହ୍ୟ କରିପାରେ? 
ଅନୁତାପ ନିମନ୍ତେ ଆହ୍ୱାନ 
 12 ତଥାପି ସଦାପ୍ରଭୁ କହନ୍ତି, 
“ଏବେ ହେଁ ତୁମ୍ଭେମାନେ ଉପବାସ, ରୋଦନ ଓ ବିଳାପ କରି 
ଆପଣାମାନଙ୍କର ସର୍ବାନ୍ତଃକରଣ ସହିତ ଆମ୍ଭ ନିକଟକୁ ଫେରି ଆସ। 
 13 ପୁଣି, ଆପଣା ଆପଣା ବସ୍ତ୍ର ନ ଚିରି ଅନ୍ତଃକରଣ ଚିର” 
ଓ ସଦାପ୍ରଭୁ ଆପଣାମାନଙ୍କର ପରମେଶ୍ୱରଙ୍କ ନିକଟକୁ ଫେରି ଆସ; 
କାରଣ ସେ କୃପାମୟ ଓ ସ୍ନେହଶୀଳ, 
କ୍ରୋଧରେ ଧୀର ଓ ଦୟାରେ ପରିପୂର୍ଣ୍ଣ, 
ଆଉ ସେ ଅମଙ୍ଗଳ କରିବା ବିଷୟରେ କ୍ଷାନ୍ତ ହୁଅନ୍ତି। 
 14 କେଜାଣି ସେ ଫେରି ଦୁଃଖିତ ହେବେ ଓ ଆପଣା ପଶ୍ଚାତ୍ ଆଶୀର୍ବାଦ, 
ଅର୍ଥାତ୍, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ 
ଭକ୍ଷ୍ୟ ନୈବେଦ୍ୟ ଓ ପେୟ-ନୈବେଦ୍ୟ ରଖିଯିବେ। 
 15 ସିୟୋନରେ ତୂରୀ ବଜାଅ 
ଓ ପବିତ୍ର ଉପବାସ ନିରୂପଣ କର, ମହାସଭା ଆହ୍ୱାନ କର; 
 16 ଲୋକମାନଙ୍କୁ ଏକତ୍ର କର, 
ପବିତ୍ର ସମାଜ ନିରୂପଣ କର, ପ୍ରାଚୀନମାନଙ୍କୁ ସଂଗ୍ରହ କର, 
ବାଳକ, ବାଳିକାମାନଙ୍କୁ ଓ ଦୁଗ୍ଧପୋଷ୍ୟ ଶିଶୁମାନଙ୍କୁ ଏକତ୍ର କର; 
ବର ଆପଣା ଶୟନ ଗୃହରୁ ଓ କନ୍ୟା ଆପଣା ଅନ୍ତଃପୁରରୁ ବାହାର ହେଉ। 
 17 ବରଣ୍ଡା ଓ ବେଦିର ମଧ୍ୟସ୍ଥାନରେ 
ସଦାପ୍ରଭୁଙ୍କର ପରିଚାରକ ଯାଜକମାନେ ରୋଦନ କରନ୍ତୁ, 
ଆଉ ସେମାନେ କହନ୍ତୁ, 
“ହେ ସଦାପ୍ରଭୁ, ଆପଣା ଲୋକମାନଙ୍କୁ ଦୟା କର 
ଓ ଅନ୍ୟ ଦେଶୀୟମାନେ ଯେପରି 
ସେମାନଙ୍କ ଉପରେ ଶାସନ ନ କରିବେ, 
ଏଥିପାଇଁ ଆପଣା ଅଧିକାରକୁ ନିନ୍ଦିତ ହେବାକୁ ଦିଅ ନାହିଁ; 
‘ସେମାନଙ୍କର ପରମେଶ୍ୱର କାହାନ୍ତି,’ 
ଏହା ସେମାନେ ନାନା ଗୋଷ୍ଠୀ ମଧ୍ୟରେ କାହିଁକି କହିବେ?” 
ପରମେଶ୍ୱରଙ୍କ ଆଶୀର୍ବାଦ 
 18 ସେତେବେଳେ ସଦାପ୍ରଭୁ ଆପଣା ଦେଶ ପାଇଁ ଉଦ୍ଯୋଗୀ ହେଲେ 
ଓ ଆପଣା ଲୋକମାନଙ୍କ ପ୍ରତି ଦୟା କଲେ। 
 19 ପୁଣି, ସଦାପ୍ରଭୁ ଆପଣା ଲୋକମାନଙ୍କୁ ଉତ୍ତର ଦେଇ କହିଲେ, 
“ଦେଖ, ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଶସ୍ୟ, 
ଦ୍ରାକ୍ଷାରସ ଓ ତୈଳ ପଠାଇଦେବା, 
ଆଉ ତୁମ୍ଭେମାନେ ତହିଁରେ ତୃପ୍ତ ହେବ; 
ପୁଣି, ଆମ୍ଭେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ 
ତୁମ୍ଭମାନଙ୍କୁ ଆଉ ନିନ୍ଦାର ପାତ୍ର କରିବା ନାହିଁ। 
 20 ମାତ୍ର ଆମ୍ଭେ ତୁମ୍ଭମାନଙ୍କ ନିକଟରୁ 
ଉତ୍ତର ଦେଶୀୟ ସୈନ୍ୟଦଳକୁ ଦୂର କରିବା, 
ପୁଣି ସେମାନଙ୍କୁ ଶୁଷ୍କ ଓ ଧ୍ୱଂସିତ ଦେଶକୁ ତଡ଼ିଦେଇ 
ସେମାନଙ୍କର ଅଗ୍ରଭାଗ ପୂର୍ବ ସମୁଦ୍ର ଆଡ଼େ, 
ଆଉ ସେମାନଙ୍କର ପଶ୍ଚାଦ୍ଭାଗ ପଶ୍ଚିମ ସମୁଦ୍ର ଆଡ଼େ ତଡ଼ିଦେବା; 
ତହିଁରେ ସେମାନଙ୍କର ଦୁର୍ଗନ୍ଧ ଉଠିବ ଓ କୁବାସ ନିର୍ଗତ ହେବ, 
କାରଣ ସେ ମହତ୍ କର୍ମମାନ କରିଅଛନ୍ତି। 
 21 ହେ ଦେଶ, ଭୟ କର ନାହିଁ, 
ଉଲ୍ଲସିତ ହୋଇ ଆନନ୍ଦ କର; 
କାରଣ ସଦାପ୍ରଭୁ ମହତ୍ କର୍ମମାନ କରିଅଛନ୍ତି। 
 22 ହେ କ୍ଷେତ୍ରସ୍ଥ ପଶୁଗଣ, ତୁମ୍ଭେମାନେ ଭୟ କର ନାହିଁ; 
କାରଣ ପ୍ରାନ୍ତରସ୍ଥ ଚରାଣି ସ୍ଥାନସବୁ ଅଙ୍କୁରିତ ହେଉଅଛି, 
ବୃକ୍ଷ ଫଳ ଫଳୁଅଛି, ଡିମ୍ବିରିବୃକ୍ଷ ଓ ଦ୍ରାକ୍ଷାଲତା ଆପଣା ଶକ୍ତି ପ୍ରକାଶ କରୁଅଛି। 
 23 ଏଥିପାଇଁ ହେ ସିୟୋନର ସନ୍ତାନଗଣ, ତୁମ୍ଭେମାନେ ଉଲ୍ଲସିତ ହୁଅ 
ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ଆନନ୍ଦ କର; 
କାରଣ ସେ ତୁମ୍ଭମାନଙ୍କୁ ଯଥା ପରିମାଣରେ ଆଦ୍ୟ ବୃଷ୍ଟି ଦିଅନ୍ତି 
ଓ ସେ ତୁମ୍ଭମାନଙ୍କ ନିମନ୍ତେ ବୃଷ୍ଟି ବର୍ଷାନ୍ତି, 
ଆଦ୍ୟ ବୃଷ୍ଟି ଓ ଶେଷ ବୃଷ୍ଟି ପ୍ରଥମ ମାସରେ। 
 24 ପୁଣି, ତୁମ୍ଭମାନଙ୍କର ଖଳାସବୁ ଗହମରେ ପରିପୂର୍ଣ୍ଣ ହେବ 
ଓ କୁଣ୍ଡସବୁ ଦ୍ରାକ୍ଷାରସ ଓ ତୈଳରେ ଉଚ୍ଛୁଳି ପଡ଼ିବ। 
 25 ଆଉ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ଆପଣାର ଯେଉଁ ମହାସୈନ୍ୟଦଳ, 
ଅର୍ଥାତ୍ ପଙ୍ଗପାଳ, ପତଙ୍ଗ, ଘୁର୍ଘୁରିଆ ଓ ଶୂକ କୀଟ ପଠାଇଲୁ, 
ସେମାନେ ଯେଉଁ ବର୍ଷର ଶସ୍ୟାଦି ଖାଇଅଛନ୍ତି, 
ତାହା ଆମ୍ଭେ ତୁମ୍ଭମାନଙ୍କୁ ଫେରାଇ ଦେବା। 
 26 ତହିଁରେ ତୁମ୍ଭେମାନେ ପ୍ରଚୁର ରୂପେ ଭୋଜନ କରି ପରିତୃପ୍ତ ହେବ 
ଓ ଯେ ତୁମ୍ଭମାନଙ୍କ ପ୍ରତି ଆଶ୍ଚର୍ଯ୍ୟ ବ୍ୟବହାର କରିଅଛନ୍ତି, 
ତୁମ୍ଭେମାନେ ସେହି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନାମର ପ୍ରଶଂସା କରିବ 
ଓ ଆମ୍ଭର ଲୋକମାନେ କଦାପି ଲଜ୍ଜିତ ହେବେ ନାହିଁ। 
 27 ତହିଁରେ ଆମ୍ଭେ ଯେ ଇସ୍ରାଏଲର ମଧ୍ୟବର୍ତ୍ତୀ ଅଛୁ 
ଓ ଆମ୍ଭେ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ ଓ ଅନ୍ୟ କେହି ନାହିଁ, 
ଏହା ତୁମ୍ଭେମାନେ ଜାଣିବ; ପୁଣି, ଆମ୍ଭର ଲୋକମାନେ କଦାପି ଲଜ୍ଜିତ ହେବେ ନାହିଁ। 
ମନୁଷ୍ୟ ଉପରେ ପରମେଶ୍ୱରଙ୍କ ଆତ୍ମା 
 28 ପୁଣି, ତହିଁ ଉତ୍ତାରେ ଆମ୍ଭେ ସମୁଦାୟ ପ୍ରାଣୀ ଉପରେ ଆପଣା ଆତ୍ମା ଢାଳିବା; 
ତହିଁରେ ତୁମ୍ଭମାନଙ୍କର ପୁତ୍ରଗଣ ଓ କନ୍ୟାଗଣ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିବେ, 
ତୁମ୍ଭମାନଙ୍କର ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ, 
ତୁମ୍ଭମାନଙ୍କର ଯୁବା ଲୋକମାନେ ଦର୍ଶନ ପାଇବେ। 
 29 ଆଉ, ସେହି ସମୟରେ ମଧ୍ୟ ଆମ୍ଭେ 
ଦାସଦାସୀଗଣର ଉପରେ ଆପଣାର ଆତ୍ମା ଢାଳିବା। 
 30 ପୁଣି, ଆମ୍ଭେ ଆକାଶରେ ଓ ପୃଥିବୀରେ 
ରକ୍ତ, ଅଗ୍ନି ଓ ଧୂମସ୍ତମ୍ଭର ଅଦ୍ଭୁତ ଲକ୍ଷଣ ଦେଖାଇବା। 
 31 ସଦାପ୍ରଭୁଙ୍କର ମହତ୍ ଓ ଭୟଙ୍କର ଦିନର ଆଗମନର ପୂର୍ବେ 
ସୂର୍ଯ୍ୟ ଅନ୍ଧକାର ଓ ଚନ୍ଦ୍ର ରକ୍ତ ହୋଇଯିବ। 
 32 ପୁଣି, ଯେକେହି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ, ସେ ଉଦ୍ଧାର ପାଇବ; 
କାରଣ ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ 
ସିୟୋନ ପର୍ବତରେ ଓ ଯିରୂଶାଲମରେ ରକ୍ଷାପ୍ରାପ୍ତ ଲୋକମାନେ ରହିବେ, 
ପୁଣି ଯେଉଁମାନଙ୍କୁ ସଦାପ୍ରଭୁ ଆହ୍ୱାନ କରିବେ, 
ସେମାନେ ଅବଶିଷ୍ଟାଂଶର ମଧ୍ୟରେ ରହିବେ।